ଭୁବନେଶ୍ୱର (ଆମ ଟିଭି): ଲେଡୀ ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ବଡ଼ ଖୁଲାସା। ହନିଟ୍ରାପ କରି ନେତା ଓ ବଡବଡିଆଙ୍କଠୁ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିଲେ । ଅର୍ଚ୍ଚନା ନାଗଙ୍କ ନାଁରେ ଏହି ଅଭିଯୋଗ ରହିଛି । ଯାହା ଏବେ ଇଡି ତାର ଚାର୍ଜସିଟରେ ପ୍ରମାଣ ସ୍ୱରୂପ ଉଲ୍ଲେଖ କରିଛି । ଭୁବନେଶ୍ୱର ଜିଲ୍ଲା ଦୌରାଜଜ କୋର୍ଟରେ ଦାଖଲ ହୋଇଥିବା ଇଡି ଚାର୍ଜସିଟ ଦାଖଲ କରି କହିଛି ଅର୍ଚ୍ଚନା ଏଭଳି କାମ ପ୍ରଥମେ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁଙ୍କ ଉପରେ ପ୍ରୟୋଗ କରିଥିଲେ । ପ୍ରମୋଦ ସ୍ୱାଇଁ ହେଉଛନ୍ତି ସେହି ବ୍ୟକ୍ତି ଯାହାଙ୍କ ଘରେ ଅର୍ଚ୍ଚନା ଘର ଭଡାରେ ରହୁଥିଲେ ।
ଇଡି କହିଛି, ପ୍ରମୋଦଙ୍କୁ ବ୍ଲାକମେଲ୍ କରି ଅର୍ଚ୍ଚନା ୩୩ ଲକ୍ଷ ଟଙ୍କା ହାତେଇଥିଲେ । ୫ ବର୍ଷ ତଳେ ଅର୍ଥାତ୍ ୨୦୧୭ ନଭେମ୍ବର ୧୬ ତାରିଖରେ ଅର୍ଚ୍ଚନା ମହିଳା ଥାନାରେ ପ୍ରମୋଦଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ଅଭିଯୋଗର ଗୋଟିଏ ଦିନ ପରେ ମହିଳା ଥାନାରେ ମାମଲା ରଫାଦଫା ହୋଇଥିଲା । ଏଥିପାଇଁ ନାଗ ଦମ୍ପତିଙ୍କ ଆକାଉଣ୍ଟରେ ପ୍ରମୋଦ ୩୩ ଲକ୍ଷ ଟଙ୍କା ଡିପୋଜିଟ୍ କରିଥିଲେ । ଯଦିଓ ଜେରା ବେଳେ ଅର୍ଚ୍ଚନା କିମ୍ବା ଜଗବନ୍ଧୁ ଏ ନେଇ କୌଣସି ତଥ୍ୟ ଦେଇନାହାନ୍ତି ହେଲେ ବ୍ୟାଙ୍କ ଷ୍ଟେଟମେଂଟ ଆଧାରରେ ଏହି ଘଟଣାର ଖିଅ ଖୋଜିଛି ଇଡି ।