ଉଦ୍ଧାରକାରୀ ଦଳ ପଠାଇଲା ଭାରତ ; ଶବ ରଖିବାକୁ ସ୍ଥାନାଭାବ, ନେପାଳ ସୀମାରେ ଟ୍ରକ୍‌ର ଲମ୍ବା ଧାଡ଼ି

0

ବନ୍ୟା ପ୍ରଭାବିତ ନେପାଳକୁ ଭାରତ ସହାୟତାର ହାତ ବଢ଼ାଇଛି। ୧୦ ଟନ ମାନବୀୟ ସହାୟତା ନେଇ ଭାରତର ତୃତୀୟ ଉଡ଼ାଣ କାଠମାଣ୍ଡୁରେ ପହଞ୍ଚି ଯାଇଛି। ଏହି ରିଲିଫ ସାମଗ୍ରୀୀରେ ପୋର୍ଟେବୁଲ ଜେନେରେଟର ସେଟ, ଡିଗ୍ନିଟି କିଟ୍, ଖାଦ୍ୟ ପ୍ୟାକେଟ ଓ ପାଣି ସଫା କରୁଥିବା ବଟିକା ସାମିଲ ରହିଛି। ଏହା ସହିତ ସମ୍ଭାବ୍ୟ ଉଦ୍ଧାରକାର୍ଯ୍ୟ ପାଇଁ ଡାକ୍ତର, ପାରାମେଡିକାଲ ଓ ପର୍ଯ୍ୟବେକ୍ଷଣ ଦଳର ୧୧ ସଦସ୍ୟଙ୍କୁ ବିମାନରେ ପଠା ଯାଇଛି। ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏହି ସୂଚନା ଦେଇଛନ୍ତି। ଉଦ୍ଧାରକାର୍ଯ୍ୟରେ ଯଥାସମ୍ଭବ ସହାୟତା କରିବାକୁ ଭାରତ ପ୍ରସ୍ତୁତ ଅଛି ବୋଲି ସେ କହିଛନ୍ତି।

ଶବ ରଖିବାକୁ ସ୍ଥାନାଭାବ

ନେପାଳରେ ବନ୍ୟା ପରର ସ୍ଥିତି ଭୟଙ୍କର ହେବାରେ ଲାଗିଛି। ମୃତକଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଛି। ଏଥିଯୋଗୁଁ ଶବଗୃହରେ ସ୍ଥାନାଭାବ ଦେଖା ଦେଇଛି। ଏଭଳି ସ୍ଥିତିରେ ମୃତଦେହ ଚିହ୍ନଟ ପାଇଁ ପରିବାର ସଦସ୍ୟଙ୍କୁ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଭୋଟେକୋଶୀ ବନ୍ୟାରେ ଲୋକଙ୍କ ମୃତଦେହ ଭାସି ଯାଇ ବହୁ ଦୂରରେ ଲାଗିଛି। ସେଥି ପାଇଁ ମୃତଦେହ ଚିହ୍ନଟ କରିବା ଅଧିକାରୀଙ୍କ ଲାଗି କାଠିକର ହୋଇଯାଇଛି। ରସୁୱା, ନୁଭୋକୋଟରୁ ମୃତଦେହ ଭାସି ଚିତବନ, ତନହୁଁ, ନବଲପରାସୀ ଓ ଅନ୍ୟ ଅଞ୍ଚଳରେ ଲାଗିଛି। ନୁଭୋକୋଟ, ଧାଡିଂ ଓ ନବଲପରାସିର ଶବଗୃହରେ ସ୍ଥାନ ନ ଥିବାରୁ ପଡୋଶୀ ଜିଲାକୁ ମୃତଦେହ ପଠାଇ ଦିଆଯାଇଛି। ଚିତବନ ଡାକ୍ତରଖାନାରେ କ୍ଷମତାଠାରୁ ଅଧିକ ମୃତଦେହ ରଖାଯାଇଛି। ଏହାକୁ ଦେଖି ଅସ୍ଥାୟୀ କେନ୍ଦ୍ର ନିର୍ମାଣ କରାଯାଉଛି। ଭରତପୁର ମେଟ୍ରୋପଲିଟାନ ସିଟି-୧୦ର ବିଦ୍ୟୁତ ରୋଡରେ ଥିବା ‘ଇଣ୍ଡଷ୍ଟ୍ରିଆଲ ଏଣ୍ଟରପ୍ରାଇଜ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ’ର ଏକ ଖାଲି କୋଠାରେ ଅସ୍ଥାୟୀ କେନ୍ଦ୍ର ନିର୍ମାଣ କରାଯାଉଛି। ସୂଚନା ଅନୁଯାୟୀ, ଗୁରୁବାର ସକାଳ ସୁଦ୍ଧା ତ୍ରିଶୁଳୀ ଓ ନାରାୟଣୀ ନଦୀ ଅବବାହିକାର ଫିସଲିଙ୍ଗରୁ ଗୋଲାଘାଟ ମଧ୍ୟରୁ କେବଳ ୧୩୭ ମୃତଦେହ ଉଦ୍ଧାର କରାଯାଇଥିଲା।

Leave A Reply

Your email address will not be published.