ଆସାମ ରାଇଫଲ୍ସ ଅଟାଇବାକୁ ମୋଦିଙ୍କୁ ଚିଠି
ଅଶାନ୍ତ ମଣିପୁରରେ ଶାନ୍ତି ଫେରାଇ ଆଣିବାକୁ ଓ ସ୍ଥିତି ନିୟନ୍ତ୍ରଣ କରିବାକୁ ମୁତୟନ ହୋଇଥିବା ଆସାମ ରାଇଫଲ୍ସକୁ ନେଇ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି କୁକୀ ଓ ମୈତୀ ସମ୍ପ୍ରଦାୟ । ଉଭୟ ପକ୍ଷ ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଛନ୍ତି। ମଣିପୁରରୁ ଆସାମ ରାଇଫଲ୍ସକୁ ପ୍ରତ୍ୟାହାର କରିବାକୁ ମୈତୀ ସମ୍ପଦାୟ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଥିବା ବେଳେ କୁକୀ ସମ୍ପ୍ରଦାୟ କିନ୍ତୁ କରିଛନ୍ତି ଓଲଟା ଦାବି। ରାଜ୍ୟରେ ଆଦିବାସୀଙ୍କ ସୁରକ୍ଷା ପାଇଁ ଆସାମ ରାଇଫଲ୍ସ ସେନାଙ୍କ ଉପସ୍ଥିତି ଅତ୍ୟନ୍ତ ଆବଶ୍ୟକ ବୋଲି ସେମାନେ ନିଜ ପତ୍ରରେ ଉଲ୍ଲେଖ କରିଛନ୍ତି।
ମେ’ ପ୍ରାରମ୍ଭରେ ମଣିପୁରରେ ମୈତୀ ଓ କୁକୀ ସମ୍ପ୍ରଦାୟ ମଧ୍ୟରେ ହିଂସାତ୍ମକ ଘଟଣା ଯୋଗୁ ସମଗ୍ର ରାଜ୍ୟ ଜଳି ଉଠିଥିଲା। ବହୁ ସମ୍ପତ୍ତିକୁ ଉତ୍ତ୍ୟକ୍ତ ଲୋକେ ପୋଡ଼ି ଦେଇଥିବା ବେଳେ ବହୁ ନୀରିହ ଲୋକଙ୍କ ଜୀବନ ନେବାକୁ ପଛାଇ ନ ଥିଲେ। ଅଶାନ୍ତ ମଣିପୁରକୁ ନିୟନ୍ତ୍ରଣକୁ ଆଣିବାକୁ ଆସାମ ରାଇଫଲ୍ସ ସମେତ ଦେଶର ଅନ୍ୟ କେନ୍ଦ୍ରୀୟ ସୁରକ୍ଷା ବଳକୁ ମଧ୍ୟ ସେଠାକୁ ପଠା ଯାଇଥିଲା।
ତେବେ ଦୀର୍ଘ ୩ ମାସ ପରେ ମୈତୀ ସମ୍ପ୍ରଦାୟର ୪୦ ବିଧାୟକ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଇଥିବା ଚିଠିରେ ଆସାମ ରାଇଫଲ୍ସକୁ ପ୍ରତ୍ୟାବର୍ତ୍ତନ କରିବାକୁ ଦାବି କରିଛନ୍ତି। ରାଜ୍ୟରେ ଶାନ୍ତି, ନିରାପତ୍ତା ଓ ସ୍ଥିରତା ଫେରାଇ ଆଣିବା ନିମନ୍ତେ ରାଜ୍ୟ ପୁଲିସ୍ ଫୋର୍ସ ସକ୍ଷମ ବୋଲି ସେମାନେ ପତ୍ରରେ ଉଲ୍ଲେଖ କରିଛନ୍ତି।
ସେମାନେ ଏହା ମଧ୍ୟ କହିଛନ୍ତି, ରାଜ୍ୟରେ ତୁରନ୍ତ ନିରାପତ୍ତା ଫେରାଇ ଆଣିବା ନିମନ୍ତେ ସୁରକ୍ଷା ବଳଙ୍କୁ ନିୟୋଜିତ କରିବା ଏକମାତ୍ର ବିକଳ୍ପ ନୁହେଁ। ଯଦିଓ ପାରିପାର୍ଶ୍ୱିକ ଅଞ୍ଚଳରେ ହିଂସାକୁ ରୋକିବା ଜରୁରୀ ଅଟେ, ତଥାପି ଏହି ଲକ୍ଷ୍ୟ ହାସଲ କରିବା ପାଇଁ ସମ୍ପୂର୍ଣ୍ଣ ନିରସ୍ତ୍ରୀକରଣ ହେବା ଆବଶ୍ୟକ।