ଏଣିକି ଟ୍ରେନ ଭିତରେ ନିଶା ସେବନ କିମ୍ବା ଗାଳି ଗୁଲଜ କଲେ ଦେବେ ଫାଇନ, ନିୟମ ନମାନିଲେ ଜେଲ୍
ଟ୍ରେନ ଯାତ୍ରାକୁ ଅଧିକ ସୁରକ୍ଷିତ ଏବଂ ଆରାମଦାୟକ କରିବା ପାଇଁ ଭାରତୀୟ ରେଳବାଇ ନିୟମକୁ କଡ଼ାକଡ଼ି କରିଛି । ଏଣିକି ଟ୍ରେନ କିମ୍ବା ରେଳ ପ୍ଲାଟଫର୍ମରେ ଖାଦ୍ୟ କିମ୍ବା ଅନ୍ୟ କୌଣସି ସାମଗ୍ରୀ ବିକ୍ରି କରିପାରିବେନି ବୁଲା ବିକାଳି । ଏପରିକି ଭିକ୍ଷାବୃତ୍ତି ଉପରେ ବି ରୋକ ଲାଗିଛି । କେବଳ ସେତିକିନୁହେଁ, ରେଳଗାଡ଼ି ଭିତରେ ନିଶା ସେବନ, ଯାତ୍ରୀମାନଙ୍କୁ ହଇରାଣ, ଅଶ୍ଳୀଳ ଗାଳିଗୁଲଜ କଲେ ବି ନିସ୍ତାର ନାହିଁ । ନୂତନ ନିୟମ ଅନୁଯାୟୀ, ଟ୍ରେନରେ ଧୂମପାନ କରୁଥିବା ଯେକୌଣସି ବ୍ୟକ୍ତିଙ୍କୁ ୨,୦୦୦ ଜରିମାନା କରାଯିବ। ସେମାନଙ୍କର ଟିକେଟ୍ କିମ୍ବା ପାସ୍ ମଧ୍ୟ ଜବତ କରାଯାଇପାରେ ଏବଂ ସେମାନଙ୍କୁ ଟ୍ରେନ କିମ୍ବା ଷ୍ଟେସନରୁ ବାହାର କରିଦିଆ ଯାଇପାରେ । ଧାରା ୧୪୫ ଅଧୀନରେ ନିୟମ ଖିଲାପକାରୀଙ୍କ ଠାରୁ ୧,୦୦୦ ଟଙ୍କା ଜରିମାନା ଆଦାୟ କରାଯାଇପାରିବ । ଯଦି ଚେତାବନୀ ପରେ ମଧ୍ୟ ନ ସୁଧୁରିବେ ତେବେ ଛଅ ମାସ ପର୍ଯ୍ୟନ୍ତ କାରାଦଣ୍ଡ କିମ୍ବା ୫,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ମିଳିଛି।
ଏଥି ସହିତ ନୂତନ ନିୟମରେ, ରେଳ ପରିସରରେ ବିନା ଲାଇସେନ୍ସରେ ସାମଗ୍ରୀ ବିକ୍ରି କରୁଥିବା ଲୋକଙ୍କ ବିରୁଦ୍ଧରେ ମଧ୍ୟ ନିୟମ କଡ଼ାକଡ଼ି କରିଛି। ରେଳବାଇ ଆଇନର ଧାରା 144 ଅନୁଯାୟୀ, ଏପରି ମାମଲାରେ ଏବେ ୨,୦୦୦ ଜରିମାନା ଲାଗୁ ହେବ। ଯଦି ବ୍ୟକ୍ତି ଜରିମାନା ଦେବାକୁ ବିଫଳ ହୁଅନ୍ତି, ତେବେ ତାଙ୍କ ବିରୁଦ୍ଧରେ କୋର୍ଟରେ ବିଚାର କରାଯିବ। ଦୋଷୀ ସାବ୍ୟସ୍ତ ହେଲେ, କୋର୍ଟ ତିନି ମାସ ପର୍ଯ୍ୟନ୍ତ ଜେଲଦଣ୍ଡ ମିଳିବ ।
ସେହିପରି ଟ୍ରେନ ଏବଂ ଷ୍ଟେସନ ପରିସରରେ ଭିକ୍ଷା ମାଗିବାକୁ ଅନୁମତି ଦିଆଯିବ ନାହିଁ । ଅଧିକୃତ ରେଳ କର୍ମଚାରୀମାନେ ଏପରି ବ୍ୟକ୍ତିମାନଙ୍କୁ ତୁରନ୍ତ ବାହାର କରିପାରିବେ । ଏହା ବ୍ୟତୀତ, ଯଦି କୌଣସି ବ୍ୟକ୍ତି ବାରମ୍ବାର ବେଆଇନ ଭାବରେ ଏହି ନିୟମଗୁଡ଼ିକୁ ବିକ୍ରି କିମ୍ବା ଉଲ୍ଲଂଘନ କରୁଥିବା ଧରାପଡ଼ନ୍ତି, ଏବଂ ଚତୁର୍ଥ ଥର କିମ୍ବା ତା’ଠାରୁ ଅଧିକ ଥର ଏପରି କରନ୍ତି, ତେବେ ତାଙ୍କ ବିରୁଦ୍ଧରେ ଅଧିକ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରି କ୍ଷେତ୍ରରେ, ଏକ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ ₹୫,୦୦୦ ପର୍ଯ୍ୟନ୍ତ ଜରିମାନା ହୋଇପାରେ ।