ଭୁବନେଶ୍ବର: ଆଜି ବି ଓଡ଼ିଶାରେ ବର୍ଷା, ୫ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ। ବଙ୍ଗୋପସାଗରରେ ସୃଷ୍ଟ ପାଣିପାଗ ବ୍ୟବସ୍ଥା ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବା ସହ ଉତ୍ତର ଓ ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ଆଞ୍ଚଳିକ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଆଜି ଅତି ଭୀଷଣ ବର୍ଷା ପାଇଁ ୫ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଏହି ଜିଲ୍ଲା ଗୁଡ଼ିକ ହେଲା ଅନୁଗୁଳ ଢେଙ୍କାନାଳ, କଟକ, କଳାହାଣ୍ଡି ଓ ନବରଙ୍ଗପୁର । ସେହିଭଳି ଅତି ପ୍ରବଳ ବର୍ଷା ପାଇଁ ୧୮ ଜିଲ୍ଲାକୁ ଅରେଂଜ ଓ ପ୍ରବଳ ବର୍ଷା ପାଇଁ ବାକି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏହି ଦୁଇ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଲଗାଣ ବର୍ଷା ହେଲେ ତଳିଆ ଅଞ୍ଚଳରେ ପାଣି ଜମିବା, ଛୋଟ ନଦୀ ଓ ନାଳରେ ଜଳସ୍ତର ବଢ଼ିବା ସହ କେତେକ ସ୍ଥାନରେ ଯାତାୟାତ ପ୍ରଭାବିତ ହେବାର ଆଶଙ୍କା ରହିଛି। ସେହିପରି ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ରହିଛି । ଏସବୁ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଲଗାଣ ବର୍ଷା ପରିପ୍ରେକ୍ଷୀରେ ବନ୍ୟାପ୍ରବଣ ଓ ତଳିଆ ଅଞ୍ଚଳଗୁଡ଼ିକ ଉପରେ ପ୍ରଶାସନ ନଜର ରଖିଛି। ଅଧିକ ବର୍ଷା ହେଲେ ସହରାଞ୍ଚଳର ତଳିଆ ସ୍ଥାନରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇପାରେ ।
ଗ୍ରାମାଞ୍ଚଳରେ କଚ୍ଚା ରାସ୍ତା ଓ ଛୋଟ ପୋଲ ଉପରେ ପାଣି ପ୍ରବାହିତ ହେବାର ଆଶଙ୍କାକୁ ମଧ୍ୟ ଦୃଷ୍ଟିରେ ରଖାଯାଇଛି । ବଙ୍ଗୋପସାଗରରେ ସକ୍ରିୟ ପାଣିପାଗ ବ୍ୟବସ୍ଥା ଯୋଗୁଁ ଓଡ଼ିଶା ଉପକୂଳ ଓ ସଂଲଗ୍ନ ସମୁଦ୍ର ଅଞ୍ଚଳ ଅଶାନ୍ତ ରହିବାର ଆଶଙ୍କା ରହିଛି। ଝଟକା ପବନର ବେଗ ଘଣ୍ଟା ପ୍ରତି ପ୍ରାୟ ୬୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ । ଏହି କାରଣରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବାକୁ ସତର୍କ କରାଯାଇଛି । ପାଣିପାଗ ସ୍ଥିତିରେ ପରିବର୍ତ୍ତନ ହେଲେ IMD ପକ୍ଷରୁ ପରବର୍ତ୍ତୀ ବୁଲେଟିନ୍ ରେ ସତର୍କ ସୂଚନାରେ ପରିବର୍ତ୍ତନ କରାଯାଇପାରେ । ତେଣୁ ବିଶେଷକରି ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଥିବା ଜିଲ୍ଲାର ଲୋକଙ୍କୁ ସତର୍କ ରହିବା ସହ ସରକାରୀ ପାଣିପାଗ ସୂଚନା ଅନୁସରଣ କରିବାକୁ କୁହାଯାଇଛ ।