ଗଞ୍ଜାମ ଜିଲ୍ଲାରେ ୯୦ ଦିନ ପାଇଁ ଲାଗୁ ହେଲା ଧାରା-୩୦, ସଭା ସମିତି ଓ ଶୋଭାଯାତ୍ରା ପାଇଁ ଅନୁମତି ବାଧ୍ୟତାମୂଳକ
ଗଞ୍ଜାମ ଜିଲ୍ଲାରେ ୯୦ ଦିନ ପାଇଁ ଲାଗୁ ହେଲା ଧାରା-୩୦ । ସଭା ସମିତି ଓ ଶୋଭାଯାତ୍ରା ପାଇଁ ଅନୁମତି ବାଧ୍ୟତାମୂଳକ । ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ଼ ରଖିବା ଏବଂ ରାଜନୈତିକ ଦଳଗୁଡ଼ିକର ସଭା, ସମାବେଶ ଓ ଶୋଭାଯାତ୍ରା ଯୋଗୁଁ ସମ୍ଭାବ୍ୟ ଅଶାନ୍ତିକୁ ଏଡ଼ାଇବା ପାଇଁ ପୋଲିସ ଆଇନ-୧୯୬୧ର ଧାରା-୩୦ ଲାଗୁ କରାଯାଇଛି । ଏହି ନିର୍ଦ୍ଦେଶ ୧୩ ନଭେମ୍ବର ପର୍ଯ୍ୟନ୍ତ ବଳବତ୍ତର ରହିବ ।
ସମସ୍ତ ଥାନା ଅଞ୍ଚଳରେ କୌଣସି ସଭା, ସମାବେଶ, ଶୋଭାଯାତ୍ରା କିମ୍ବା ଜନସମାଗମ ଆୟୋଜନ କରିବା ପୂର୍ବରୁ ସମ୍ପୃକ୍ତ ଏସଡିପିଓ କିମ୍ବା ଥାନା ଅଧିକାରୀଙ୍କ ନିକଟରୁ ଅନୁମତି ନେବା ବାଧ୍ୟତାମୂଳକ ହେବ । ନିର୍ଦ୍ଧାରିତ କାର୍ଯ୍ୟକ୍ରମର ଅତି କମରେ ୭୨ ଘଣ୍ଟା ପୂର୍ବରୁ ଅନୁମତି ଆବଦେନ ଦାଖଲ କରିବା ଆବଶ୍ୟକ । ନିୟମ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛି ଜିଲ୍ଲା ପୋଲିସ ।