ସ୍ମୃତି ଇରାନୀ, ରବର୍ଟ ଭଦ୍ରା ମୁହାଁମୁହିଁ, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ, : କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ନିକଟରେ ଲୋକସଭାରେ ଶିଳ୍ପପତି ଗୌତମ ଆଦାନିଙ୍କ ସହ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧିଙ୍କ ଜାମାତା ରବର୍ଟ ଭଦ୍ରାଙ୍କର ଏକ ଫଟୋ ଦେଖାଇଥିଲେ। ଆଜି ଏହି ପ୍ରସଙ୍ଗରେ ଭଦ୍ରା ସ୍ମୃତିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ମଣିପୁର ଜଳୁଛି କିନ୍ତୁ ଏହି ମନ୍ତ୍ରୀ (ସ୍ମୃତି ଇରାନୀ) ମୋ ବିଷୟରେ ନକରାତ୍ମକ ପ୍ରଚାର କରୁଛନ୍ତି। ମୁଁ ସଂସଦର ସଦସ୍ୟ ହୋଇନଥିଲେ ବି ମତେ ନେଇ ନକରାତ୍ମକ ପ୍ରଚାର କରାଯାଉଛି। ଗତକାଲି ମଧ୍ୟ ଭଦ୍ରା ଏକ ଫେସବୁକ ପୋଷ୍ଟରେ ସ୍ମୃତିଙ୍କୁ କଡ଼ା ସମାଲୋଚନା କରିଥିଲେ। ଭଦ୍ରା କହିଥିଲେ ସ୍ମୃତି ତାଙ୍କ ପଛରେ ପଡ଼ିବା ବନ୍ଦ କରନ୍ତୁ ଏବଂ ସଂସଦରେ ତାଙ୍କ ନାମର ଦୁରୁପଯୋଗ ବନ୍ଦ କରନ୍ତୁ। ତାଙ୍କ ବିରୋଧରେ ଆଣିଥିବା ଅଭିଯୋଗର ପ୍ରମାଣ ଦେବାପାଇଁ ସେ ସ୍ମୃତିଙ୍କୁ ଚାଲେଞ୍ଜ କରିଛନ୍ତି।
ସ୍ମୃତିଙ୍କୁ ଟାର୍ଗେଟ୍ କରିବାପାଇଁ ଭଦ୍ରା ମଧ୍ୟ ତାଙ୍କ ପୋଷ୍ଟରେ ବିଭିନ୍ନ ନ୍ୟୁଜ୍ ରିପୋର୍ଟ ଯୋଡ଼ିଥିଲେ। ଭଦ୍ରା କହିଛନ୍ତି, ମୋ ଆଡ଼କୁ ଅଙ୍ଗୁଳି ନିକ୍ଷେପ କଲେ ଆପଣଙ୍କ ଅପାରଗତା ଲୁଚି ଯିବନି। ମନେରଖ ଯେ ଯେତେବେଳେ ଆପଣ ମତେ ଅଙ୍ଗୁଳି ଦେଖାଉଛନ୍ତି ସେ ସମୟରେ ଅନ୍ୟ ୪ଟି ଅଙ୍ଗୁଳି ଆପଣଙ୍କ ଆଡ଼କୁ ରହୁଛି। ଆପଣ ଏବଂ ଆପଣଙ୍କ ପରିବାରକୁ ନେଇ ଅନେକ ବିବାଦ ରହିଛି। ଗୋଆରେ ଥିବା ଆପଣଙ୍କ ରେସ୍ତୋରାଁ ଏବଂ ଦେଶର ବିଭିନ୍ନ ଅଂଶରେ ତୃତୀୟ ପକ୍ଷ ନାଁରେ ଥିବା ବିଭିନ୍ନ ରେସ୍ତୋରାଁ ବିଷୟରେ ସାରା ଦେଶ ଜାଣିବାକୁ ଚାହୁଛି ବୋଲି ଭଦ୍ରା କହିଛନ୍ତି।