ଜୀ ସାର୍ଥକ’ରେ ପ୍ରେମ ଓ ଅହଂକାରର ନିଆରା କାହାଣୀ ‘ମୋଟର ସାଇକେଲ’, ଆସନ୍ତା ମେ’ ୧୭ ତାରିଖ ସନ୍ଧ୍ୟା ୬: ୩୦ ମିନିଟରେ
ଓଲିଉଡର ଚର୍ଚ୍ଚିତ ଫ୍ୟାମିଲି କମେଡି ଡ୍ରାମା ‘ମୋଟର ସାଇକେଲ’ ଏବେ ଟିଭି ପରଦାରେ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ପ୍ରସ୍ତୁତ। ଆସନ୍ତା ମେ’ ୧୭ ତାରିଖ ସନ୍ଧ୍ୟା ୬ଟା ୩୦ ମିନିଟରେ ଅଗ୍ରଣୀ ଓଡ଼ିଆ ମନୋରଞ୍ଜନ ଚ୍ୟାନେଲ ‘ଜୀ ସାର୍ଥକ’ରେ ଏହି ସିନେମାର ୱାର୍ଲ୍ଡ ଟେଲିଭିଜନ ପ୍ରିମିୟର ଅନୁଷ୍ଠିତ ହେବ।
ଅଶ୍ୱିନ ତ୍ରିପାଠୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଏକ ସାଧାରଣ ମୋଟର ସାଇକେଲକୁ ନେଇ ପରିବାର ମଧ୍ୟରେ ସୃଷ୍ଟି ହେଉଥିବା ଦ୍ୱନ୍ଦ୍ୱ, ଅହଂକାର ଏବଂ ହାସ୍ୟରସର ଏକ ସୁନ୍ଦର ମିଶ୍ରଣ। କାହାଣୀର ମୂଳ ବିଷୟବସ୍ତୁ ହେଉଛି ‘ପ୍ରେମ ବନାମ ଲୋଭ’। କେଳୁ (ଜ୍ୟୋତି ରଞ୍ଜନ ନାୟକ) ଏବଂ କାବେରୀ (ପ୍ରୀତି ବିଶ୍ୱାଳ)ଙ୍କ ବଢୁଥିବା ପ୍ରେମ ମଝିରେ ପାଚେରୀ ସାଜିଛି କେଳୁଙ୍କ ପିତାଙ୍କର ଏକ ମୋଟର ସାଇକେଲ ଦାବି। ଏହି ଦାବି କିପରି ପାରିବାରିକ କଳହ ଓ ହଟଚମଟ ସୃଷ୍ଟି କରୁଛି, ତାହା ଅତ୍ୟନ୍ତ ରୋଚକ ଢଙ୍ଗରେ ପରିବେଷଣ କରାଯାଇଛି।
ଏହି ସିନେମାରେ କୁନା ତ୍ରିପାଠୀଙ୍କ ଜବରଦସ୍ତ କମେଡି ଟାଇମିଂ ଏବଂ ଜ୍ୟୋତିଙ୍କ ଅଭିନୟ ବଡ଼ ପରଦାରେ ବେଶ ପ୍ରଶଂସିତ ହୋଇଥିଲା। ସୋମେଶ ଶତପଥୀଙ୍କ ସଙ୍ଗୀତ ଏବଂ ଡକ୍ଟର ନିର୍ମଳ ନାୟକଙ୍କ ଗୀତ ସିନେମାକୁ ଅଧିକ ଜୀବନ୍ତ କରିଛି।
ଏହି ଅବସରରେ ଜୀ ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ଶ୍ରୀ ରାହୁଲ ରାଓ କହିଛନ୍ତି, ଗୋଟିଏ ସାଧାରଣ ମୋଟର ସାଇକେଲ କିପରି ଏକ ନିଆରା ମନୋରଞ୍ଜନର ଖୋରାକ ଯୋଗାଇ ପାରେ, ତାହା ଏହି ସିନେମାରେ ଚମତ୍କାର ଭାବେ ଚିତ୍ରଣ କରାଯାଇଛି। ଗୋଟିଏ ଛୋଟ ଦାବି ସମ୍ପର୍କରେ କିପରି ଟଣାଓଟରା ସୃଷ୍ଟି କରେ ଏବଂ ସେଥିରୁ ବାହାରୁଥିବା ହାସ୍ୟରସ ସାଧାରଣ ଦର୍ଶକଙ୍କୁ ନିଜ ସହ ଯୋଡ଼ିପାରିବେ । ଏହି ସିନେମାର ପ୍ରତିଟି ଦୃଶ୍ୟ ପରିବାର ସହ ବସି ଉପଭୋଗ କରିବା ଭଳି ହୋଇଛି ବୋଲି ଆମର ବିଶ୍ୱାସ।”
ପ୍ରେମ ଏହି ପାରିବାରିକ ଅହଂକାର ଓ ସର୍ବସମ୍ମୁଖରେ ଅପମାନକୁ ସହିପାରିବ କି ନାହିଁ, ତାହା ଦେଖିବାକୁ ମିଳିବ କେବଳ ‘ଜୀ ସାର୍ଥକ’ ପରଦାରେ।