ନେପାଳ-ତିବ୍ଦତ ସୀମାରେ ହିମସ୍ଖଳନ, ୧୦ ଜଣ ନିଖୋଜ

0

ନେପାଳ : ପଶ୍ଚିମ ନେପାଳରେ ତିବ୍ବତ ସୀମା ନିକଟରେ ଥିବା ହିମଲୁଙ୍ଗ ହିମାଲର ବେସ୍ କ୍ୟାମ୍ପରେ ଭୟଙ୍କର ହିମସ୍ଖଳନ ହୋଇଛି । ଏହି ହିମସ୍ଖଳନରେ ଅତି କମରେ ୧୦ ଜଣ ଲୋକ ନିଖୋଜ ଜଣାପଡିଛି । ରବିବାର ସକାଳେ ଏହି ହିମସ୍ଖଳନ ଘଟିଛି ।

ଆୟୋଜକ ମିଙ୍ଗମା ଗ୍ୟାଲଜେ ଶେର୍ପା କହିଛନ୍ତି ଯେ, ନିଖୋଜ ଲୋକଙ୍କ ମଧ୍ୟରେ ତାଙ୍କ କିଚେନର ଦୁଇଜଣ କର୍ମଚାରୀ ମଧ୍ୟ ରହିଛନ୍ତି । ଗତ ସପ୍ତାହରେ ପାଣିପାଗ ନେଇ ସତର୍କ ସୂଚନା ଜାରି ହେବା ପରେ ଅଭିଯାନକାରୀ ଦଳ ଓ ଦଉଡ଼ି ଲଗାଇବାରେ ନିୟୋଜିତ ଟିମକୁ ସେମାନଙ୍କ ସ୍ଥାନରୁ ଖାଲି କରି ଦିଆଯାଇଥିଲା । କିନ୍ତୁ କିଛି ଲୋକ ସେଠାରେ ରହିଯାଇଥିଲେ । ଗତ କିଛିଦିନ ହେଲାଣି ପାହାଡିଆ ଅଞ୍ଚଳରେ ଦୀର୍ଘଦିନ ଧରି ତୁଷାରପାତ ହୋଇଛି । ଯେଉଁଥିପାଇଁ ପର୍ବତାରୋହୀ ପାହାଡ ଉପରୁ ନ ଚଢିପାରି ଫେରିଆସିଥିଲେ । ପାଣିପାଗର ସ୍ଥିତି ଖରାପ ଥିବାରୁ ଟ୍ରେକର ଓ ପର୍ବତାରୋହୀମାନଙ୍କୁ ନିଜର ଅଭିଯାନ ଏବେ ବନ୍ଦ ରଖିବାକୁ ପର୍ଯ୍ୟଟନ ଅଧିକାରୀମାନେ ପରାମର୍ଶ ଦେଇଛନ୍ତି । ପର୍ଯ୍ୟଟନ ବିଭାଗ ମଧ୍ୟ ଆଲର୍ଟ ଜାରି କରି ପର୍ଯ୍ୟଟନ ସମ୍ବନ୍ଧୀୟ କାର୍ଯ୍ୟକଳାପ ବନ୍ଦ ରଖିବାକୁ କହିଛି ।

ନେପାଳରେ ଖରାପ ପାଣିପାଗ ଜାରି ରହିଛି । ବର୍ଷା ଓ ବରଫପାତ ଯୋଗୁଁ ଅନେକ ରାସ୍ତା ପ୍ରଭାବିତ ହୋଇଥିବା ବେଳେ ସ୍ଥାନୀୟ ପ୍ରଶାସନକୁ ଯାତାୟାତ ପାଇଁ କେତେକ ରାସ୍ତା ବନ୍ଦ କରିବାକୁ ପଡ଼ିଛି । ମନାଙ୍ଗ ଜିଲ୍ଲାରେ ଥିବା ୭,୧୨୬ ମିଟର ଉଚ୍ଚ ହିମଲୁଙ୍ଗ ହିମାଲ ଶିଖରକୁ ହେଲିକପ୍ଟର ଯୋଗେ ଯିବା ପାଇଁ ଅତିରିକ୍ତ ଅନୁମତି ଆବଶ୍ୟକ ହୋଇଥାଏ । ଏହା ଯୋଗୁଁ ଉଦ୍ଧାର ଓ ଅନ୍ୟାନ୍ୟ କାର୍ଯ୍ୟକଳାପରେ ମଧ୍ୟ ସମସ୍ୟା ସୃଷ୍ଟି ହେଉଛି । ରବିବାର ଘଟିଥିବା ହିମସ୍ଖଳନରେ ନିଖୋଜ ଲୋକ ବିଭିନ୍ନ ଅଭିଯାନକାରୀ କମ୍ପାନୀ ସହ ଜଡ଼ିତ ଥିବା ଜଣାପଡ଼ିଛି । ପାହାଡ଼ିଆ ଅଞ୍ଚଳରେ ପ୍ରବଳ ବରଫପାତ ଏବଂ ନେପାଳର ପାହାଡ଼ିଆ ଓ ସମତଳ ଅଞ୍ଚଳରେ ଲଗାତାର ବର୍ଷା ହେଉଛି । ଏହାର ପ୍ରଭାବରେ ଦେଶର ଅନେକ ଅଞ୍ଚଳ ପ୍ରଭାବିତ ହୋଇଛି ।

ସୂଚନାଯୋଗ୍ୟ, ପୂର୍ବରୁ ଗତ ମାସରେ ରାସୁୱା ଅଞ୍ଚଳରେ ଭୟଙ୍କର ବନ୍ୟା ଆସିଥିଲା । ଏଥିରେ ୧,୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଏବଂ ୫,୦୦୦ରୁ ଅଧିକ ଲୋକ ନିଖୋଜ ହୋଇଯାଇଥିଲେ ।

Leave A Reply

Your email address will not be published.