ଗୋଆର ଅନ୍ତର୍ଜାତୀୟ ମଞ୍ଚରେ ଓଡ଼ିଆ ସିନେମା ବାଘୁଣୀ ର ଐତିହାସିକ ସଫଳତା
୫୭ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (IFFI)ର ବିଶ୍ୱସ୍ତରୀୟ ମଞ୍ଚରେ ଓଡ଼ିଆ ସିନେମା ବାଘୁଣୀ ଏପରି ଏକ ଇତିହାସ ରଚିଛି, ଯାହା ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା। ପ୍ରଥମ ଥର ପାଇଁ ଗୋଆର ଅନ୍ତର୍ଜାତୀୟ ବଜାର ଓ ବିଶ୍ୱ ସିନେମା ପ୍ରେମୀମାନେ କୌଣସି ଓଡ଼ିଆ ଚଳଚ୍ଚିତ୍ର ପାଇଁ ଏତେ ବିପୁଳ ମାତ୍ରାରେ ଉତ୍ସାହ, କ୍ରେଜ୍ ଏବଂ ଅଭୂତପୂର୍ବ ସଫଳତା ଦେଖିଛନ୍ତି। ପ୍ରତିଷ୍ଠିତ ଇଫି ଗୋଆ ଫିଲ୍ମ୍ ଫେଷ୍ଟିଭାଲରେ ସ୍ଥାନ ପାଇଥିବା ଏକମାତ୍ର ଓଡ଼ିଆ ଚଳଚ୍ଚିତ୍ର ‘ବାଘୁଣୀ’ ଗତ ୨୨ ନଭେମ୍ବରରେ ପ୍ରଦର୍ଶିତ ହେଲା।
ନିଜ ପ୍ରିୟ ଓଡ଼ିଆ ତାରକା ସବ୍ୟସାଚୀ ଏବଂ ଅର୍ଚ୍ଚିତା ଙ୍କୁ ଭେଟିବା ସହ ପାରମ୍ପାରିକ ବାଘନାଚ କଳାକାରଙ୍କୁ ଦେଖିବା ପାଇଁ ଶହ ଶହ ଓଡ଼ିଆ ଦର୍ଶକ ଓ ପ୍ରଶଂସକ ଗୋଆ Inox ସ୍ଥଳରେ ପହଞ୍ଚିଥିଲେ। ପ୍ରଶଂସକଙ୍କ ଏହି ଅସମ୍ଭାଳ ଭିଡ଼ ଯୋଗୁଁ କିଛି ସମୟ ପାଇଁ ଗୋଆ ଫିଲ୍ମ ଫେଷ୍ଟିଭାଲର ରାସ୍ତା ସମ୍ପୂର୍ଣ୍ଣ ଭାବେ ଜାମ୍ ହୋଇଯାଇଥିଲା ଏବଂ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ଅନେକ ଲୋକଙ୍କୁ ସେଠାରୁ ହଟିବାକୁ ପଡ଼ିଥିଲା। ତଥାପି, ଦର୍ଶକଙ୍କ ଅତୁଟ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଗାଲା ପ୍ରିମିୟରର ରେଡ୍ କାର୍ପେଟ୍ ୱାକ୍ ଆରମ୍ଭ ହୋଇଥିଲା।
ସାଧାରଣତଃ ଏଭଳି ବିପୁଳ କ୍ରେଜ୍ କେବଳ ହିନ୍ଦୀ, ତେଲୁଗୁ କିମ୍ବା ତାମିଲ ସିନେମା ପାଇଁ ଦେଖିବାକୁ ମିଳିଥାଏ; କିନ୍ତୁ ପ୍ରଥମ ଥର ପାଇଁ ଗୋଟିଏ ଓଡ଼ିଆ ସିନେମା ପାଇଁ ଏଭଳି ଉତ୍ସାହ ଓ ଟ୍ରାଫିକ୍ ଜାମ୍ ସୃଷ୍ଟି ହେବା ସମସ୍ତଙ୍କ ମଧ୍ୟରେ ଓଡ଼ିଆ ଦର୍ଶକ ଏବଂ ଓଡ଼ିଆ ଚଳଚ୍ଚିତ୍ର ପ୍ରତି ଥିବା ଦୃଷ୍ଟିଭଙ୍ଗୀକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି ବୋଲି ଚର୍ଚ୍ଚା ହେଉଛି। ଏହା ସହିତ ‘ବାଘୁଣୀ’ ସିନେମାରେ ଅଭିନୟ କରିଥିବା ବାଘନାଚ କଳାକାର, ଉପସ୍ଥିତି ସିନେ ଟିମ୍ ର ପଟ୍ଟଚିତ୍ର ପୋଷାକ ଓ ତାଙ୍କ ନୃତ୍ୟ ସହ ରେଡ କାର୍ପେଟ ୱାକ ଚଳିତ ବର୍ଷର ସବୁଠାରୁ ବଡ଼ ଏବଂ ସବୁଠାରୁ ଆକର୍ଷଣୀୟ ରେଡ୍ କାର୍ପେଟ୍ ପ୍ରଦର୍ଶନ ଭାବେ ଇଫି ଅଫିସିଆଲ୍ ଟିମ୍ ଉଚ୍ଚ ପ୍ରଶଂସା କରିଛି।
ଗାଲା ପ୍ରିମିୟର ସ୍କ୍ରିନିଂର ଅଭୂତପୂର୍ବ ସଫଳତା ପରେ ‘ବାଘୁଣୀ’କୁ ନେଇ ଅନ୍ତର୍ଜାତୀୟ ସ୍ତରରେ ବ୍ୟାପକ ଆଗ୍ରହ ସୃଷ୍ଟି ହୋଇଛି। ବିଶ୍ୱର ଅନେକ ପ୍ରମୁଖ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ, ବିଦେଶୀ ଡିଷ୍ଟ୍ରିବ୍ୟୁଟର ଏବଂ ବାୟରମାନଙ୍କ ମଧ୍ୟରେ ଏହି ସିନେମାର ରାଇଟ୍ସ କିଣିବା ପାଇଁ ଏକ ପ୍ରକାର ସୁଅ ଛୁଟିଛି।
କଳା, ନିର୍ମାଣ ଶୈଳୀ ଏବଂ ଶକ୍ତିଶାଳୀ ବିଷୟବସ୍ତୁ ପାଇଁ ଫିଲ୍ମ କ୍ରିଟିକ୍ସ (ସମୀକ୍ଷକ) ଏବଂ ମହୋତ୍ସବରେ ସିନେମା ଦେଖିଥିବା ଦର୍ଶକମାନେ ଏହାକୁ ଭୂୟସୀ ପ୍ରଶଂସା କରିଛନ୍ତି। ଓଡ଼ିଶାର ପାରମ୍ପରିକ ‘ବାଘ ନାଚ’ ଓ ନାରୀ ସଶକ୍ତିକରଣର କାହାଣୀକୁ ନେଇ ନିର୍ମିତ ଏହି ଚଳଚ୍ଚିତ୍ରର ପ୍ରଭାବ ଆଗାମୀ ଅନେକ ବର୍ଷ ପର୍ଯ୍ୟନ୍ତ ରହିବ ବୋଲି ସିନେମା ପ୍ରେମୀ, ଚଳଚ୍ଚିତ୍ର ଉତ୍ସାହୀ ଓ ସମୀକ୍ଷକମାନେ ଦୃଢ଼ ଭାବେ ବର୍ଣ୍ଣନା କରିଛନ୍ତି। ଏହାର ଅନ୍ତର୍ନିହିତ ବାର୍ତ୍ତା ଅନ୍ତର୍ଜାତୀୟ ସ୍ତରରେ ଏକ ବଡ଼ ଆଲୋଡ଼ନ ଓ ଆଲୋଚନା ସୃଷ୍ଟି କରିବ ବୋଲି ଚଳଚ୍ଚିତ୍ର ମହଲରେ ଅନେକ ଆଶା ଓ ସ୍ୱପ୍ନ ପ୍ରକାଶ ପାଇଛି।
ଏହି ଗୌରବମୟ କାର୍ଯ୍ୟକ୍ରମରେ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଜିତେନ୍ଦ୍ର ମିଶ୍ର, ଏନଏଫଡିସିର ଯୁଗ୍ମ ସଚିବ ପୃଥୁଲ୍ କୁମାର, ପ୍ରଯୋଜକ ପାର୍ଥ ପଣ୍ଡା, ଡୋନା ଦେବ, ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା ପ୍ରମୁଖ ଉପସ୍ଥିତ ରହି ଓଡ଼ିଆ ସିନେମାର ଏହି ବିଶ୍ୱସ୍ତରୀୟ ଯାତ୍ରାକୁ ଗୌରବାନ୍ୱିତ କରିଥିଲେ।