ବଙ୍ଗୋପସାଗରରେ ଘନୀଭୂତ ହେଉଛି ଲଘୁଚାପ, ୨୪ ଘଣ୍ଟାରେ ଅବପାତ

0

ଭୁବନେଶ୍ବର: ୨୪ ଘଣ୍ଟାରେ ଅବପାତ । ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ କ୍ଷେତ୍ରଟି ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି, ଆଜି ପୂର୍ବ-କେନ୍ଦ୍ରୀୟ ତଥା ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ ‘ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର’ ଭାବେ ଅବସ୍ଥାନ କରୁଛି । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଆଗାମୀ ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ ଅବପାତରେ ପରିଣତ ହେବାର ଏବଂ ଏବଂ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ-କେନ୍ଦ୍ରୀୟ ତଥା ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ଏକ ଗଭୀରଅବପାତ’ ରେ ପରିଣତ ହେବାର ସମ୍ଭାବନା ରହିଛି । ପାଣିପାଗ ପ୍ରଣାଳୀଟି ଆହୁରି ଆଗକୁ ବଢ଼ି ଆସନ୍ତା ୨୩ ସକାଳ ସୁଦ୍ଧା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିପାରେ ବୋଲି IMDର ପୂର୍ବାନୁମାନ କରିଛି । କିନ୍ତୁ କେଉଁ ସ୍ଥାନରେ ଉପକୂଳ ଅତିକ୍ରମ କରିବ, ସେନେଇ ଚୂଡ଼ାନ୍ତ ସୂଚନା ନାହିଁ ।

ଆଜି ଓଡ଼ିଶାର କିଛି ସ୍ଥାନରେ ବର୍ଷା ସହ ବଜ୍ରପାତ ଏବଂ ଝଟକା ପବନ ହୋଇପାରେ। ସମୁଦ୍ର ମଧ୍ୟରେ ପବନର ବେଗ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ଏବଂ ଝଟକା ସମୟରେ ୬୫ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ । ପୂର୍ବ-ମଧ୍ୟ ଓ ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗର ଅଶାନ୍ତରୁ ଅତ୍ୟନ୍ତ ଅଶାନ୍ତ ରହିବ। କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବଜ୍ରପାତ ଓ ଝଟକା ପବନ ଆଶଙ୍କା ରହିଛି । ଆସନ୍ତା ୨୩ ଓ ୨୪ରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ଅର୍ଥାତ୍ ୨୦୪.୪ ମିଲିମିଟରରୁ ଅଧିକ ବର୍ଷା ହୋଇପାରେ । ଏହି ସମୟରେ ପବନର ବେଗ ଝଟକା ସମୟରେ ୭୦ରୁ ୭୫ କିଲୋମିଟର ପର୍ଯ୍ୟନ୍ତ ବଢ଼ିପାରେ ।

ଘରୋଇ ପାଣିପାଗ ସଂସ୍ଥା ସ୍କାଇମେଟ୍ ଅନୁସାରେ, ଆଜି ଲଘୁଚାପ ଅବପାତରେ ଏବଂ କାଲି ଗଭୀର ଅବପାତରେ ପରିଣତ ହୋଇପାରେ। ଏହା ପରେ ପ୍ରଣାଳୀଟି ଆହୁରି ଶକ୍ତିଶାଳୀ ହୋଇ ୨୦୨୬ର ପ୍ରଥମ ସାମୁଦ୍ରିକ ବାତ୍ୟାର ରୂପ ନେବାର ସମ୍ଭାବନାକୁ ସ୍କାଇମେଟ୍ ଏଡ଼ାଇ ନାହିଁ । ତେବେ ଏହାର ତୀବ୍ରତା, ଗତିପଥ ଓ ସମ୍ଭାବ୍ୟ ସ୍ଥଳଭାଗ ଛୁଇଁବା ସ୍ଥାନ ଏବେଠାରୁ ନିଶ୍ଚିତ କରିବା ଶୀଘ୍ର ହେବ ବୋଲି ସଂସ୍ଥା କହିଛି । ବର୍ତ୍ତମାନ ସୁଦ୍ଧା IMD ଏହାକୁ ବାତ୍ୟା ଘୋଷଣା କରିନାହିଁ ।  ଅନ୍ୟପଟେ ସ୍କାଇମେଟ୍ ବାତ୍ୟାରେ ପରିଣତ ହେବାର ସମ୍ଭାବନା ଦର୍ଶାଇଛି ।  ଅର୍ଥାତ୍ ବାତ୍ୟା ଆଶଙ୍କା ରହିଛି, କିନ୍ତୁ ଏହା ଏବେ ନିଶ୍ଚିତ ନୁହେଁ ।  ଅବପାତ ସୃଷ୍ଟି ହେବା ପରେ ମିଳୁଥିବା ନୂଆ ତଥ୍ୟରୁ ଏହାର ତୀବ୍ରତା ଓ ଗତିପଥ ଅଧିକ ସ୍ପଷ୍ଟ ହେବ ।

Leave A Reply

Your email address will not be published.