ମେ’ ୧ରେ ପରଦାକୁ ଆସିବ ‘ମନ୍ତ୍ରମୁଗ୍ଧ’, ମହାରାଜାରେ ମୁକ୍ତିଲାଭ କଲା ଚର୍ଚ୍ଚିତ ଗୀତ ‘ଡବା ଭିତରେ ପସ୍’
ଜାତୀୟ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ଆସୁଛି ଏକ ସମ୍ପୂର୍ଣ୍ଣ ପାରିବାରିକ ମନୋରଞ୍ଜନଧର୍ମୀ ଚଳଚ୍ଚିତ୍ର ଯାହାର ଟ୍ରେଲର୍କୁ ସୋସିଆଲ ମିଡିଆରେ ମିଳିସାରିଲାଣି ୧ ମିଲିୟନ୍ ଭ୍ୟୁଜ୍। ଓଲିଉଡ୍ ପରଦାରେ ଏବେ ହରର୍ ଓ କମେଡିର ନୂତନ ଏବଂ ରୋମାଞ୍ଚକର ଟ୍ରେଣ୍ଡ୍ ଚାଲିଛି, ଏହି କ୍ରମରେ ଓଡ଼ିଆ ଦର୍ଶକଙ୍କୁ ଭୟଭୀତ କରିବା ସାଙ୍ଗକୁ ହସାଇ ହସାଇ ବେଦମ୍ କରିବା ପାଇଁ ପ୍ରସ୍ତୁତ ହୋଇଛି ଆଗାମୀ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ମନ୍ତ୍ରମୁଗ୍ଧ’। ଚଳଚ୍ଚିତ୍ରର ରିଲିଜ୍ ତାରିଖ ପାଖେଇ ଆସୁଥିବା ବେଳେ ଶନିବାର ଦିନ ‘ତରଙ୍ଗ ମ୍ୟୁଜିକ୍’ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଏହାର ଏକ ଦମ୍ଦାର ଗୀତ ‘ଡବା ଭିତରେ ପସ୍’ ମୁକ୍ତିଲାଭ କରିଛି, ଯାହା ସିନେପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠାକୁ ଆହୁରି ବଢ଼ାଇ ଦେଇଛି।
ଏହି ଅବସରରେ ରାଜଧାନୀ ଭୁବନେଶ୍ୱର ସ୍ଥିତ ମହାରାଜା ସିନେମା ହଲ୍ ପରିସରରେ ଏକ ବର୍ଣ୍ଣାଢ୍ୟ ମ୍ୟୁଜିକ୍ ଲଞ୍ଚ୍ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ଚଳଚ୍ଚିତ୍ରର କଳାକାର, କ୍ରିଉ ସଦସ୍ୟ ଏବଂ ବହୁ ସଂଖ୍ୟକ ପ୍ରଶଂସକଙ୍କ ଗହଣରେ ଏହି ମଜାଦାର ଟ୍ରାକ୍ ଏବଂ ଏହାର ମ୍ୟୁଜିକ୍ ଭିଡିଓକୁ ଉନ୍ମୋଚନ କରାଯାଇଥିଲା। ନିର୍ମାତାଙ୍କ ଭାଷାରେ ଏହି ଗୀତଟି ହେଉଛି ଏକ “ଫନ୍-ଫିଲ୍ଡ ହରର୍-କମେଡି ଆନ୍ଥେମ୍”। ଏହି ଅବସରରେ ‘ମନ୍ତ୍ରମୁଗ୍ଧ’ ମେକର୍ସ ମାନେ କହିଥିଲେ ଯେ, “ଯେତେବେଳେ ଆଲୁଅ ଲିଭିଯାଏ ଏବଂ ଭୂତମାନେ ଖେଳିବାକୁ ବାହାରି ଆସନ୍ତି, ସେତେବେଳେ ପରିବେଶକୁ ରଙ୍ଗୀନ୍ କରିବା ପାଇଁ କମେଡି କିଙ୍ଗଙ୍କ ଉପରେ ଦାୟିତ୍ୱ ଛାଡ଼ିଦେବା ଉଚିତ୍।”

ଓଲିଉଡର ଲୋକପ୍ରିୟ ମନୋରଞ୍ଜନକାରୀ ତଥା ଅଭିନେତା ପପୁ ପମ୍ପମ୍ଙ୍କ ଜୋର୍ଦାର୍ ସ୍ୱରରେ ସଜ୍ଜିତ ଏହି ଗୀତଟି ଏକ ଭୟାନକ ପରିବେଶକୁ କିଭଳି ଜୀବନ୍ତ ନାଚଗୀତର ଉତ୍ସବରେ ପରିଣତ କରିଦେଉଛି, ତାହା ଦେଖିବାକୁ ମିଳିଛି। ଏଥିରେ ହାସ୍ୟରସ, ଭୟ ଏବଂ ପାଦ ଥିରିକିଲା ଭଳି ବିଟ୍ସର ଅପୂର୍ବ ମିଶ୍ରଣ ହୋଇଛି। ଏହି ଗୀତର ସଙ୍ଗୀତ ନିର୍ଦ୍ଦେଶନା, ସଜ୍ଜୀକରଣ ଓ ପ୍ରଯୋଜନା ଅନୁରାଗ ପଟ୍ଟନାୟକ ଥିବା ବେଳେ ନୃତ୍ୟ ନିର୍ଦ୍ଦେଶନା ବା କୋରିଓଗ୍ରାଫି ଦେଇଛନ୍ତି ଦିବ୍ୟ ସାମଲ, ସହ-ସଙ୍ଗୀତ ପ୍ରଯୋଜକ ଅଶ୍ୱିନିୟମ୍ ଓ ଗୀତିକାର ହେଉଛନ୍ତି ଦେବଜ୍ୟୋତି ନାୟକ ଏବଂ ପପୁ ପମ୍ ପମ୍ ନିଜେ ।
ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ବିଶିଷ୍ଟ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ‘ମନ୍ତ୍ରମୁଗ୍ଧ’ ଆସନ୍ତା ମେ’ ୧ ତାରିଖରେ ରାଜ୍ୟର ବିଭିନ୍ନ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ନିକଟରେ ରିଲିଜ୍ ହୋଇଥିବା ଏହାର ଟ୍ରେଲର୍ ୟୁଟ୍ୟୁବ୍ରେ ମାତ୍ର କିଛି ଦିନ ମଧ୍ୟରେ ୧ ମିଲିୟନରୁ ଅର୍ଥାତ ୧୦ ଲକ୍ଷରୁ ଅଧିକ ଦର୍ଶକଙ୍କ ଦ୍ୱାରା ଆଦୃତ ହୋଇସାରିଲାଣି। ଚଳଚ୍ଚିତ୍ରର କାହାଣୀ ଏକ ସାଙ୍ଗମାନଙ୍କ ଗ୍ରୁପ୍ ଉପରେ ପର୍ଯ୍ୟବେସିତ, ଯେଉଁମାନେ ଏକ ରହସ୍ୟମୟ ରାଜପ୍ରାସାଦକୁ ବୁଲିବାକୁ ଯାଇ ଅନେକ ଭୟାନକ ତଥା ଅଲୌକିକ ଘଟଣାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଏକ ‘ସମ୍ପୂର୍ଣ୍ଣ ପାରିବାରିକ ମନୋରଞ୍ଜନ’ ଭାବେ ପ୍ରମୋଟ୍ କରାଯାଉଛି। ଫିଲ୍ମରେ କମେଡି, ଥ୍ରୀଲର୍ ଏବଂ ଶ୍ରୁତିମଧୁର ସଙ୍ଗୀତର ଭରପୂର ମାତ୍ରା ଥିବାରୁ ଏହା ସବୁ ବୟସର ଦର୍ଶକଙ୍କୁ ବାନ୍ଧି ରଖିବ ବୋଲି ପ୍ରଯୋଜନା ସଂସ୍ଥା ଆଶାବ୍ୟକ୍ତ କରିଛି।