ପାକିସ୍ତାନରେ ଆକାଶଛୁଆଁ ଦରଦାମ୍: ପିଆଜ କିଲୋ ୨୨୮ ଟଙ୍କା
ନୂଆଦିଲ୍ଲୀ(ଆମ ଟିଭି): ପାକିସ୍ତାନରେ ଏବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଏହାରି ଭିତରେ ଆରମ୍ଭ ହୋଇଛି ରମଜାନ ମାସ । ରମଜାନ ମାସରେ ଆକାଶ ଛୁଆଁ ହୋଇଛି ଫଳ ଦାମ । ରମଜାନ ମାସରେ ହୋସ ଉଡାଇଦେବା ଭଳି ଦାମରେ ବିକ୍ରି ହେଉଛି ଫଳ । କେବଳ କଦଳୀ ଏବଂ ଅଙ୍ଗୁର ନୁହେଁ, ଦୈନନ୍ଦିନ ଜିନିଷର ମୂଲ୍ୟ ମଧ୍ୟ ଆକାଶଛୁଆଁ ହେଉଛି। ସେହିପରି ପୂଜା ସାମଗ୍ରୀର ଦାମ ମଧ୍ୟ ବୃଦ୍ଧି ପାଇଛି । ପିଆଜ କିଲୋ ପ୍ରତି ୨୨୮ଟଙ୍କା, ଅଟା ଦାମ ୧୨୦ ପ୍ରତିଶତ ବଢ଼ିଛି । ସେନସିଟିବ ପ୍ରାଇସ୍ ଇଣ୍ଡିକେଟର ଅନୁସାରେ ମାର୍ଚ୍ଚ ଶେଷ ସପ୍ତାହ ବେଳକୁ ପାକିସ୍ତାନରେ ଦରଦାମ୍ ବୃଦ୍ଧି ୪୭ ପ୍ରତିଶତରେ ପହଞ୍ଚିଥିଲା । ପୂର୍ବରୁ ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁଥିବା ପାକିସ୍ତାନୀଙ୍କ ମୁଣ୍ଡରେ ଚଡ଼କ ପଡିଛି ।
କାଙ୍ଗାଳ ରାଷ୍ଟ୍ରକୁ ବେଲଆଉଟ ପ୍ୟାକେଜ ଦେବାକୁ ଅନେକଗୁଡ଼ିଏ ସର୍ତ୍ତ ରଖିଛି ଆଇଏମଏଫ । ଯଦି ଇଣ୍ଟରନାସନାଲ ମନିଟାରୀ ଫଣ୍ଡ ପାକିସ୍ତାନ ପାଇଁ ପ୍ୟାକେଜ ଘୋଷଣା କରେ, ତେବେ ଏହା ପାକିସ୍ତାନ ଅର୍ଥବ୍ୟବସ୍ଥା ପାଇଁ ସଞ୍ଜିବନୀ ସଦୃଶ ହେବ ବୋଲି ବିଶେଷଜ୍ଞ କହିଛନ୍ତି । ଫେବୃଆରୀ ଆରମ୍ଭରୁ ପାକିସ୍ତାନ ଏବଂ ଆଇଏମଏଫ ମଧ୍ୟରେ ୧.୧ ବିଲିୟନ ଡଲାରର ଋଣ ଛାଡକୁ ନେଇ ଆଲୋଚନା ଚାଲିଛି। କିନ୍ତୁ ପାକିସ୍ତାନର ବିଦେଶୀ ମୁଦ୍ରା ଭଣ୍ଡାର ବୃଦ୍ଧି ପାଇ ୧୦.୧୪ ବିଲିୟନ୍ ଡଲାରରେ ପହଞ୍ଚିଛି ।