ଭୁବନେଶ୍ୱର (ଆମ ଟିଭି): ବିଦ୍ୟୁତ୍ କାଟକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଲାଣି । ଏହାରି ଭିତରେ ଶକ୍ତିମନ୍ତ୍ରୀଙ୍କ ଉଦଭ୍ରାନ୍ତ ମନ୍ତବ୍ୟକୁ ଅତି ଦୁର୍ଭାଗ୍ୟଜନକ ବୋଲି କହିଲା ବିଜେପି । ବାରମ୍ବାର ବିଦ୍ୟୁତ ବିଭ୍ରାଟକୁ ନେଇ ଆଜିଠାରୁ ଭୁବନେଶ୍ୱରରେ ଆନ୍ଦୋଳନ ଆରମ୍ଭ କରିଛି ବିଜେପି । ସାଂଘାତିକ ଅଭିଯୋଗ ଆଣିବା ସହ ବିଜେପି କହିଛି, ଆଜି ତାରିଖରେ ବିଦ୍ୟୁତ ବିତରଣ ବ୍ୟବସ୍ଥା ରାଜ୍ୟ ସରକାରଙ୍କ ନିୟନ୍ତ୍ରଣ ବାହାରେ ।
ଟାଟା ପାୱାର ପାଖରେ ରାଜ୍ୟ ସରକାର ମୁଣ୍ଡ ବିକିଲା ଭଳି ସ୍ଥିତି ତିଆରି ହୋଇଛି ।ଗ୍ରାମାଞ୍ଚଳରେ ଲୋକଙ୍କ ଦୁର୍ଦ୍ଦଶା କହିଲେ ନସରେ । ଅତୀତରେ ପାୱାର କଟ ହେଲା ବେଳେ ଲୋକଙ୍କ ପାଇଁ କିଛି ରିଲିଫ ଥିଲା । ଲୋକ ଜାଣୁଥିଲେ, ଏହି ନିର୍ଦ୍ଦିଷ୍ଟ ସମୟରେ ପାୱାର କଟ ହେବ । ଯେହେତୁ ଆମେ ନିଅଣ୍ଟିଆ ବିଜୁଳି ଉତ୍ପାଦିତ ରାଜ୍ୟ ବୋଲି ଭାବୁଥିଲେ । ତେଣୁ ଲୋକ ନିଜକୁ ମାନସିକ ସ୍ତରରେ ପ୍ରସ୍ତୁତ ରଖୁଥିଲେ । କିନ୍ତୁ ଏବେ ଗୋଟିଏ ପଟେ ବଳକା ବିଦ୍ୟୁତ ଉତ୍ପାଦିତ ରାଜ୍ୟ ବୋଲି କହୁଛନ୍ତି, ଆଉ ପୁଣି ଅଲିଖିତ ଭାବରେ ମନ ଇଚ୍ଛା ବିଜୁଳି କାଟ କରୁଛନ୍ତି ।