ଖୋଲିବ ରତ୍ନ ଭଣ୍ଡାର ?
ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ସୁପାରିଶ। ରତ୍ନଭଣ୍ଡାର ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ସୁପାରିଶ କରିଛି ଶ୍ରୀମନ୍ଦିର ପରିଚାଳନା କମିଟି। ଆଗାମୀ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲିବାକୁ ସୁପାରିଶ କରିଛି କମିଟି। ଆଜି ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ପରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।
ଶ୍ରୀ ବର୍ମା କହିଛନ୍ତି, ରତ୍ନଭଣ୍ଡାର ଖୋଲିବାର ତଦାରଖ ପାଇଁ ହାଇଲେବଲ ଟିମ୍ ଗଠନ ହେବ। ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଟିମ୍ ପାଇଁ ନିଷ୍ପତ୍ତି ହୋଇଛି। ସୁପ୍ରିମକୋର୍ଟ ବା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ଜଜ ଟିମ୍ର ମୁଖ୍ୟ ହେବେ। ଭିତର ରତ୍ନଭଣ୍ଡାର ଖୋଲିବା ପାଇଁ ଟିମ୍ ସମସ୍ତ ବ୍ୟବସ୍ଥା ତଦାରଖ କରିବ ବୋଲି ଜିଲ୍ଲାପାଳ କହିଛନ୍ତି।
ଶ୍ରୀମନ୍ଦିର ଯାଞ୍ଚ ପାଇଁ ଏକ ଟେକ୍ନିକାଲ୍ କମିଟି ଗଠନ କରାଯିବ। ଯେଉଁଥିରେ ଏଏସ୍ଆଇ, ପରିଚାଳନା କମିଟି ସଦସ୍ୟ ଓ ମନ୍ଦିର ପ୍ରଶାସନର ବରିଷ୍ଠ ଇଞ୍ଜିନିୟରମାନେ ରହିବେ। ସେହି ଟେକ୍ନିକାଲ୍ କମିଟି ଆତ୍ୟାଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି ରତ୍ନଭଣ୍ଡର ବାହ୍ୟାବସ୍ଥା ଯାଞ୍ଚ କରିବ। ତା’ର ଏକ ରିପୋର୍ଟ ପରବର୍ତ୍ତୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଉପସ୍ଥାପନ କରାଯିବ। ଏନେଇ ସରକାରଙ୍କୁ ସୁପାରିଶ କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି।