ଭୁବନେଶ୍ୱର(ଆମ ଟିଭି): ରାଜ୍ୟରେ ଦିନକୁ ଦିନ ବେକାବୁ ହେଉଛି ଡେଙ୍ଗୁ ସଂକ୍ରମଣ । ଏହାରି ଭିତରେ ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପିଛି । ତେବେ ଏହାର ପାଖାପାଖି ୭୦ ପ୍ରତିଶତ ରୋଗୀ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଅଞ୍ଚଳରେ ରହିଥିବା ଜଣାପଡିଛି। ଜନସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ, ଚଳିତବର୍ଷ ଅଗଷ୍ଟ ୨ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲାରେ ୨୨ ହଜାର ୫୭୦ ଜଣଙ୍କ ରକ୍ତ ନମୁନା ପରୀକ୍ଷା ହୋଇଥିବାବେଳେ ସେଥିରୁ ୧ହଜାର ୭୯ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି।
ଏଥିରେ ଖୋର୍ଦ୍ଧା ଜିଲାରେ ସର୍ବାଧିକ ୬୬୧ଜଣ ଡେଙ୍ଗୁ ରୋଗୀ ରହିଛନ୍ତି। ସେହିପରି ବାଲେଶ୍ୱର ଜିଲାରେ ୮୪ ଜଣ, ପୁରୀରେ ୬୪ଜଣ ଓ କଟକରେ ୪୬ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ତେବେ ୧୯ ଜିଲାରେ ୩୦ରୁ କମ୍ ରୋଗୀ ବାହାରିଥିବାବେଳେ ୬ଟି ଜିଲାରେ କୌଣସି ଡେଙ୍ଗୁ ରୋଗୀ ଚିହ୍ନଟ ହୋଇନାହାନ୍ତି।