ନୂଆଦିଲ୍ଲୀ(ଆମ ଟିଭି): ଓଡ଼ିଶାରୁ ରାଜ୍ୟସଭାରେ ଅଧ୍ୟକ୍ଷତା କରିଥିବା ପ୍ରଥମ ମହିଳା ସାଂସଦ ଭାବରେ ବିଜେଡି ସାଂସଦ ସୁଲତା ଦେଓ ଚେୟାରକୁ ମୁଣ୍ଡିଆ ମାରି ଗୃହ କାର୍ୟ୍ୟ ପରିଚାଳନା କରି ସମସ୍ତଙ୍କ ପ୍ରଶଂସା ସାଉଁଟିଥିଲେ । ଆଜି ମଧ୍ୟ ଓଡ଼ିଶା ଓ ଓଡ଼ିଶାର ଗଣମାଧ୍ୟମକୁ ବଞ୍ଚାଇବାକୁ ଯାଇ ରାଜ୍ୟସଭାରେ ସ୍ବର ଉତ୍ତୋଳନ କରିଥିଲେ ସାଂସଦ ସୁଲତା ଦେଓ । ଗଣମାଧ୍ୟମ ପାଇଁ ପ୍ରକୃଷ୍ଠ ଆଇଟି ନିୟାମକ ପ୍ରଣାଳୀର ଅନୁପସ୍ଥିତିରେ ୱେବ ପୋର୍ଟାଲ ଏବଂ ୟୁଟ୍ୟୁବ ତଥା ଫେସବୁକ୍ ଚ୍ୟାନେଲରେ ପ୍ରସାରିତ ମିଥ୍ୟା ଖବର ଉପରେ ଗମ୍ଭୀର ଚିନ୍ତା ପ୍ରକଟ କରିଛନ୍ତି ।
ଓଡ଼ିଶାରେ କିଛି ଫେକ୍ ୱେବ୍ ପୋର୍ଟାଲ୍ ସମେତ କିଛି ଗଣମାଧ୍ୟମର ଦ୍ୱାରା ସମ୍ବାଦ ପ୍ରସାରକୁ ନେଇ ଉଦ୍ବେଗ ପ୍ରକାଶ କରି ରାଜ୍ୟସଭାରେ କହିଛନ୍ତି ଯେ ଟ୍ୱିଟର, ଫେସବୁକ୍ ଏବଂ ୟୁଟ୍ୟୁବ୍ ଭଳି ସୋସିଆଲ୍ ମିଡିଆ ପ୍ଲାଟଫର୍ମଗୁଡିକ ମାଧ୍ୟମରେ ନିଜର ବ୍ୟକ୍ତିଗତ ସ୍ବାର୍ଥ ସାଧନ ପାଇଁ ବିଭିନ୍ନ ଅନୁଷ୍ଠାନ ଏବଂ ଅନେକ ବ୍ୟକ୍ତି ବିଶେଷଙ୍କ ଭାବମୂର୍ତ୍ତିକୁ ଖରାପ ବା ବଦନାମ କରିବା ପାଇଁ ଅପବ୍ୟବହାର କରୁଛନ୍ତି । ଯେ ଯଦି ଏହା ଉପରେ କୌଣସି ସକାରାତ୍ମକ ନିୟମ ନ ଆସେ କିମ୍ବା ସେସବୁ ଖବରର ଯାଞ୍ଚ ନହୁଏ ତେବେ ଏହା ଦେଶ ପାଇଁ ଏକ ଖରାପ ନାମ ଆଣିବ ତେଣୁ ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ କିଛି ଆଇଟି ନିୟମାବଳୀର ଆବଶ୍ୟକତା ଅଛି ବୋଲି ସେ କହିଛନ୍ତି । ସୋସିଆଲ ମିଡିଆରେ ମିଛ ଖବର ଏବଂ ଜନତାଙ୍କୁ ଡରାଇବା ପାଇଁ କପୋଳ କଳ୍ପିତ ଖବର ପ୍ରକାଶ କରୁଥିବା ବିଭିନ୍ନ ସୋସିଆଲ ମିଡିଆ ଆକାଉଣ୍ଟ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ଗୃହରେ ନିବେଦନ କରିଛନ୍ତି ।
ଏହି ଚ୍ୟାନେଲଗୁଡ଼ିକରେ ପ୍ରକାଶ ପାଇଥିବା ନକଲି ଖବରର କିଛି ଉଦହାରଣ ମଧ୍ୟ ସେ ଗୃହରେ ଦେଇଥିଲେ। ଗୋଟିଏ ଭିଡିଓ ଜାରି କରି କିଛି ଚ୍ୟାନେଲରେ ଗୁଡ଼ିକରେ ଦାବି କରାଯାଇଥିଲା ବର୍ଷା ପାଇଁ ରାଜଧାନୀ ଭୁବନେଶ୍ବରରେ ଏକ ବଡ଼ ପାଣି ଟାଙ୍କି ଭୁଷୁଡି ପଡିଲା ଯାହା ରାଜଧାନୀ ବାସୀଙ୍କୁ ମିଛରେ ଡରାଇବା ସହ ପ୍ରଶାସନକୁ ବହୁ ଅଡୁଆରେ ପକାଇଥିଲା । ସେହିପରି ଅନେକ ନକଲି ଗଣମାଧ୍ୟମ ମିଛ ଭିଡିଓ ମାଧ୍ୟମରେ ସାଧାରଣ ଜନତାକୁ ଭୁଲ୍ ବାଟରେ ନେଉଛନ୍ତି ତେଣୁ ଏହା ଉପରେ ତୁରନ୍ତ ଏକ ବିଲ୍ ଆଣି ଏପରି ନକଲି ଗଣମାଧ୍ୟମକୁ ବନ୍ଦ କରିବାକୁ ସେ ଗୃହରେ ନିବେଦନ କରିଥାଲେ ।