ସ୍ଥଗିତ ରହିଲା ରତ୍ନଭଣ୍ଡାର ଗଣତି କାର୍ଯ୍ୟ
ଆସନ୍ତାକାଲି ଠାରୁ ସ୍ଥଗିତ ରହିବ ରତ୍ନଭଣ୍ଡାର ଗଣତି କାର୍ଯ୍ୟ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଜୁନ୍ ମାସରେ ପୁଣି ଗଣତି ଆରମ୍ଭ କରିବାକୁ ସ୍ଥିର କରାଯାଇଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ରତ୍ନଭଣ୍ଡାର ଗଣତିମଣତି କାର୍ଯ୍ୟ କଡ଼ା ସୁରକ୍ଷା ମଧ୍ୟରେ ହୋଇଛି। ପୂର୍ବରୁ ଚଳନ୍ତି ଓ ବାହାର ରତ୍ନଭଣ୍ଡାରର ଗଣତିମଣତି ଶେଷ ହୋଇଛି। ୧୯୭୮ ତାଲିକା ଅନୁଯାୟୀ ବର୍ତ୍ତମାନ ସମସ୍ତ ଅଳଙ୍କାରର ନିର୍ଭୁଲ ଚିହ୍ନଟ ଓ ଗଣତି କରାଯାଇ ଫଟୋଗ୍ରାଫି, ଭିଡ଼ିଓଗ୍ରାଫି ଏବଂ ୩-ଡି ମ୍ୟାପିଂ ସହ ସିନ୍ଦୁକରେ ରଖାଯାଉଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ପୂର୍ବରୁ ସୂଚନା ଦେଇଥିଲେ। ମୂଲ୍ୟବାନ ରତ୍ନ ଅଳଙ୍କାର ରହିଥିବା ଯୋଗୁଁ ଗଣତି ପ୍ରକ୍ରିୟା ସମୟସାପେକ୍ଷ ହେଉଛି। ପ୍ରତ୍ୟେକ ଅଳଙ୍କାରକୁ ସୁରକ୍ଷିତ ଭାବରେ ଚିହ୍ନିତ ରଙ୍ଗର ମୁଣିରେ ବା କପଡ଼ାରେ ରଖିବା ପରେ ତାକୁ ଷ୍ଟିଲ ବାକ୍ସରେ ଭର୍ତ୍ତି କରି ପୁଣି ସିନ୍ଦୁକରେ ରଖି ତାଲା ପକାଯାଉଛି। ଭିତର ଭଣ୍ଡାରରେ ଏଯାବତ ମେଳକରେ ସମ୍ପୂର୍ଣ୍ଣ ପୂର୍ଣ୍ଣତା ରହିଛି। ସମସ୍ତ ଗଣତିମଣତି ବେଶ୍ ସ୍ବଚ୍ଛତାର ସହ ଓ ସୁରକ୍ଷିତ ଭାବେ କରାଯାଉଛି। ଆଗାମୀ ଦିନରେ ଗଣତିମଣତି ବେଳେ ଏହା ସହାୟକ ହୋଇପାରିବ ବୋଲି ଆଶା କରାଯାଉଛି।