ପରମ୍ପରା ଏବଂ ନାରୀ ସଶକ୍ତୀକରଣର ନିଆରା ଗାଥା: ଜୀ ସାର୍ଥକରେ ଆସନ୍ତା ରବିବାର ସନ୍ଧ୍ୟା ୬:୩୦ ରେ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ରଙ୍ଗଶୂର’
ଜୀ ସାର୍ଥକ ସର୍ବଦା ନିଜ ଦର୍ଶକଙ୍କ ପାଇଁ ଶ୍ରେଷ୍ଠ ଏବଂ ପ୍ରେରଣାଦାୟକ କାହାଣୀ ପ୍ରସ୍ତୁତ କରିବାକୁ ପ୍ରୟାସ କରିଆସିଛି। ସେହିପରି ଓଡ଼ିଶାର ସମୃଦ୍ଧ ଲୋକକଳା ‘ବାଘ ନାଚ’ ଏବଂ ନାରୀ ସଶକ୍ତୀକରଣକୁ ନେଇ ନିର୍ମିତ ବହୁ ପ୍ରତୀକ୍ଷିତ ଡ୍ରାମା-ଥ୍ରୀଲର ଚଳଚ୍ଚିତ୍ର ‘ରଙ୍ଗଶୂର’ ଆପଣଙ୍କ ଟେଲିଭିଜନ୍ ପରଦାକୁ ଆସୁଛି, ଆସନ୍ତା ୨୮ ସେପ୍ଟେମ୍ବର ସନ୍ଧ୍ୟା ୬:୩୦ ମିନିଟ୍ରେ କେବଳ ଜୀ ସାର୍ଥକ ଚ୍ୟାନେଲରେ। ଏକ ସାମାଜିକ ବାର୍ତ୍ତା ସହ ଦର୍ଶକଙ୍କୁ ଏକ ଅଭିନବ ଚଳଚ୍ଚିତ୍ର ଭେଟିଦେବାକୁ ପ୍ରସ୍ତୁତି ଶେଷ ହୋଇଛି। ଆଗରୁ ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ଦର୍ଶକଙ୍କ ଅନେକ ଭଲପାଇବା ସାଉଁଟିଥିଲା ।
ଏହାର କାହାଣୀ ଏକ ଗାଁର ବାପା ଓ ଝିଅଙ୍କ ସମ୍ପର୍କ ଏବଂ କଳା ପ୍ରତି ସମର୍ପଣକୁ ନେଇ ଗତିଶୀଳ। ବାପା ଜଣେ ପାରମ୍ପରିକ ବାଘ ନାଚ କଳାକାର ହୋଇଥିବା ବେଳେ ଝିଅ ଏହି ଲୁପ୍ତପ୍ରାୟ କଳାକୁ ଆଗକୁ ବଢ଼ାଇ ଏହାର ଉତ୍ତରାଧିକାରୀ ହେବାକୁ ସ୍ୱପ୍ନ ଦେଖୁଛି। କିନ୍ତୁ ସମାଜର ରକ୍ଷଣଶୀଳ ଚିନ୍ତାଧାରା ଅନୁଯାୟୀ ଏହି କଳା କେବଳ ପୁରୁଷମାନେ ହିଁ ପରିବେଷଣ କରିପାରିବେ। ଏହି ସାମାଜିକ ପ୍ରଥା ଓ ଲିଙ୍ଗଗତ ବାଧାବିଘ୍ନ ବିରୋଧରେ ଝିଅର ସଂଘର୍ଷ ଏବଂ ବିଦ୍ରୋହ କାହାଣୀରେ ମୁଖ୍ୟ ବିନ୍ଦୁ ସାଜିଛି।

ପ୍ରତାପ ରାଉତଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଛନ୍ତି ସୂର୍ଯ୍ୟମୟୀ ମହାପାତ୍ର , ଚୌଧୁରୀ ଜୟପ୍ରକାଶ ଦାସ, ଦୀପନ୍ୱିତ ଦାଶମହାପାତ୍ର, ସମରେଶ ରାଉତରାୟ, ଶୁଭାଶିଷ ଶର୍ମା, ଜ୍ୟୋତି ରଞ୍ଜନ ନାୟକ, ସୁଶାନ୍ତ ଦାସ ମହାପାତ୍ର ଏବଂ ଶୁଭଶ୍ରୀ ଜେନା। ମୁନ ଟିଭି ଆସୋସିଏସନ ଏବଂ ପ୍ରକାଶ ଫିଲ୍ମସ ଓ ମାକ୍ସିମିନିଆ ଫିଲ୍ମସର ଏହି ଚଳଚ୍ଚିତ୍ରର କାହାଣୀ ଲେଖିଛନ୍ତି ହିମାଂଶୁ ରାଜ, ଉମଙ୍ଗ ଏବଂ ଶତୃଘ୍ନ କୁମାର l ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୌରବ ଆନନ୍ଦ ।
ଏହି ସ୍ୱତନ୍ତ୍ର ଚଳଚ୍ଚିତ୍ର ପ୍ରସଙ୍ଗରେ ଜୀ ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ଶ୍ରୀ ରାହୁଲ ରାଓ ନିଜର ଉତ୍ସାହ ପ୍ରକାଶ କରିବା ସହ ଦର୍ଶକଙ୍କୁ ଅନୁରୋଧ କରି କହିଛନ୍ତି, “‘ରଙ୍ଗଶୂର’ କେବଳ ଏକ ସାଧାରଣ ଫିଲ୍ମ ନୁହେଁ, ବରଂ ଏହା ଆମ ଓଡ଼ିଶାର ଲୁପ୍ତପ୍ରାୟ ଲୋକକଳା ଏବଂ ନାରୀ ସଶକ୍ତୀକରଣର ଏକ ଶକ୍ତିଶାଳୀ ବାର୍ତ୍ତା ବହନ କରୁଛି। ମୋର ସମସ୍ତ ଓଡ଼ିଆ ଦର୍ଶକଙ୍କୁ ବିନମ୍ର ଅନୁରୋଧ, ଆପଣମାନେ ଆସନ୍ତା ୨୮ ସେପ୍ଟେମ୍ବର ସନ୍ଧ୍ୟା ୬:୩୦ରେ ସପରିବାର ଏହି ସିନେମାକୁ ଦେଖନ୍ତୁ ଏବଂ ଆମ ସଂସ୍କୃତି ତଥା ସାହସର ଏହି ନିଆରା କାହାଣୀକୁ ଉପଭୋଗ କରନ୍ତୁ।” ଓଡ଼ିଆ ଦର୍ଶକଙ୍କୁ ଭାବପ୍ରବଣ କରିବା ସହ ସମାଜକୁ ଏକ ବଳିଷ୍ଠ ସନ୍ଦେଶ ଦେବାରେ ‘ରଙ୍ଗଶୂର’ ନିଶ୍ଚିତ ଭାବେ ସଫଳ ହେବ ବୋଲି ଚଳଚିତ୍ର ଟିମ୍ କହିଛି ।