ରିୟାନ ପରାଗ ଇ-ସିଗାରେଟ୍ ବ୍ୟବହାର ଘଟଣା, ବିସିସିଆଇ ମାଗିଲା ସ୍ପଷ୍ଟୀକରଣ
ଆଇପିଏଲ ୨୦୨୬ରେ ରାଜସ୍ଥାନ ରୟାଲ୍ସର ଅଧିନାୟକ ରିୟାନ ପରାଗଙ୍କ ମୁସ୍କିଲ ବଢିବାରେ ଲାଗିଛି । ଡ୍ରେସିଂ ରୁମରେ ଇ-ସିଗାରେଟ୍ ସେବନ କରୁଥିବାର ଭିଡିଓ ଭାଇରଲ ହେବା ପରେ ବିସିସିଆଇ ଏବେ ଜବାବ ମାଗିଛି । ଗତ ୨୮ ତାରିଖରେ ରାଜସ୍ଥାନ ରୟାଲ୍ସ ଚଣ୍ଡିଗଡ଼ରେ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ପରାଗ ଡ୍ରେସିଂ ରୁମରେ ଇ-ସିଗାରେଟ୍ ସେବନ କରୁଥିବା ଭିଡିଓରେ ଦେଖିବାକୁ ମିଳିଥିଲା । ଯାହାକୁ ଦେଖିବା ପରେ ଫ୍ୟାନ୍ସ ପ୍ରତିକ୍ରିୟା ଦେଇଥିଲେ ।
ଭାରତରେ ଇ-ସିଗାରେଟ୍ ସେବନ ନିଷେଧ ରହିଛି । ଏହା ସେବନ କଲେ ୫ ଲକ୍ଷ ଟଙ୍କା କିମ୍ବା ଜେଲ ଦଣ୍ଡରେ ଦଣ୍ଡିତ ହେବାର ନିୟମ ମଧ୍ୟ ରହିଛି । ଏହା ସତ୍ତ୍ବେ ରିୟାନ ପରାଗ ଏଭଳି ବିଶୃଙ୍ଖଳିତ ଆଚରଣ କରିବା ସମସ୍ତଙ୍କୁ ଚକିତ କରିଛି । ପରାଗ ଆଇପିଏଲ ନିୟମ ଉଲ୍ଲଂଘନ କରିବା କାରଣରୁ ବିସିସିଆଇ ତାଙ୍କୁ ଦଣ୍ଡିତ କରିପାରେ । ପୂର୍ବରୁ ରାଜସ୍ଥାନର ଟିମ୍ ମ୍ୟାନେଜର ରବିନ୍ଦର ସିଂ ମ୍ୟାଚ ସମୟରେ ଫୋନ ବ୍ୟବହାର କରିବା ନେଇ ୧ ଲକ୍ଷ ଟଙ୍କାରେ ଦଣ୍ଡିତ ହୋଇଥିଲେ । ଡ୍ରେସିଂ ରୁମରେ ରିୟାନ ପରାଗ ଭେପିଂ କରିବାର ଏକ ଭିଡିଓ ଭାଇରଲ ହେବା ପରେ BCCI ତାଙ୍କୁ ସ୍ପଷ୍ଟୀକରଣ ପାଇଁ ସମନ କରିଛି ।
ରିୟାନ ପରାଗଙ୍କ ମାମଲାକୁ ଗମ୍ଭୀର ବୋଲି ବିବେଚନା କରାଯାଉଛି । ଆଇପିଏଲ ନିୟମ ଅନୁଯାୟୀ ଡ୍ରେସିଂ ରୁମ୍ ଏବଂ ଡଗ୍ ଆଉଟରେ ଇ-ସିଗାରେଟ୍ ଏବଂ ଭାପ୍ ସମେତ ଧୂମପାନ ନିଷେଧ । ତେଣୁ ବିସିସିଆଇ ଏବଂ ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ଏହି ଘଟଣାର ତଦନ୍ତ କରିପାରନ୍ତି ।
ଭେପିଂ ଭାରତରେ ବ୍ୟାନ୍ । ଏହାକୁ ୨୦୧୯ ପ୍ରୋହିବେସନ ଅଫ୍ ଇଲେଟ୍ରୋନିକ୍ସ ସିଗାରେଟ୍ ଆକ୍ଟ୍ ଅନୁଯାୟୀ ଭାରତରେ ବ୍ୟାନ୍ କରାଯାଇଛି । ଏହାର ଉଲ୍ଲଙ୍ଘନ କଲେ ଜରିମାନା ସହିତ ଜେଲ୍ ହୋଇପାରେ ।